ଭାରତରେ ଚାଲିଛି ଶାକାହାରୀ କଣ୍ଡୋମ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହିଭଳି ଏକ ନୂତନ ପ୍ରୟାସ କରି ବେସ୍ ସଫଳ ହୋଇପାରିଛନ୍ତି ଅରୁଣା ନାମକ ଜଣେ ମହିଳା ।
ସାଧାରଣତଃ ବଜାରରେ ମିଳୁଥିବା କଣ୍ଡୋମରେ ଜୀବଜନ୍ତୁଙ୍କର ଲ୍ୟାଟେକ୍ସ ବ୍ୟବହାର ହେଉଥିବା ବେଳେ ଏହି ଶାକାହାରୀ କଣ୍ଡୋମରେ କେବଳ ପ୍ରାକୃତିକ ରବର ଲ୍ୟାଟେକ୍ସ ବ୍ୟବହାର କରାଯାଇଛି ।
ଭାରତ ଏକ ପ୍ରଗତିଶୀଳ ଦେଶ ହୋଇଥିଲେ ହେଁ ଏଠାରେ ଲୋକେ କଣ୍ଡୋମ ବ୍ୟବହାର କରିବାକୁ ଡରିଥାନ୍ତି । ଏପରିକି କିଛି ଲୋକେ ଧାର୍ମିକ ଭାବନାକୁ ବଜାୟ ରଖିବା ପାଇଁ କଣ୍ଡୋମ ବ୍ୟବହାର କରନ୍ତି ନାହିଁ। ଭାରତର ସହରମାନଙ୍କରେ କିଛି ଲୋକେ କଣ୍ଡୋମ ବ୍ୟବହାରକୁ ଗୁରୁତ୍ୱ ଦେଉନଥିବା ବେଳେ ଗ୍ରାମାଞ୍ଚଳ କଥା କହିଲେ ନସରେ । ଏଭଳି ମାନସିକତା ପାଇଁ ହିଁ HIV ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଏହା ସହିତ ଅନିଚ୍ଛାକୃତ ଗର୍ଭଧାରଣ ଭାରତରେ ସମସ୍ୟା ସୃଷ୍ଟି କରୁଛି।
ଏହି ସବୁ ସମସ୍ୟାର ମୁକାବିଲା କରିବା ପାଇଁ ନୂଆଦିଲ୍ଳୀର ୨୬ ବର୍ଷୀୟ ମହିଳା ଏଣ୍ଟ୍ରପ୍ରେନ୍ୟୁୟର ଅରୁଣା ଚାୱଲା ଶୁଦ୍ଧ, ଶାକାହାରୀ ଭେଗାନ କଣ୍ଡୋମ ‘ସାଲାଡ’ର ଶୁଭାରମ୍ଭ କରିଥିଲେ।
ତେବେ, ତାଙ୍କର ଏହି ଷ୍ଟାର୍ଟଅପ୍ କୁ ପ୍ରଥମେ ସେପରି ସଫଳତା ମିଳିନଥିଲା। ଏପରିକି ପ୍ରଥମେ ନିବେଷକ ମାନଙ୍କୁ ଖୋଜିବା କାଠିକର ପାଠ ସାବ୍ୟସ୍ତ ହୋଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ଅରୁଣା ଲୋକଙ୍କ ମନରେ ଏହାପ୍ରତି ବିଶ୍ଵାସ ଜନ୍ମାଇବାରେ ସଫଳ ହୋଇଛନ୍ତି।
ତେବେ, ଏହାର ମୂଲ୍ୟ ମାତ୍ର ୯୧ ଟଙ୍କା ହୋଇଥିବା ବେଳେ ଏହାକୁ ସାଲାଡ଼ର ଅଫିସିଆଲ ୱେବସାଇଟରୁ କିଣାଯାଇ ପାରିବ।