ହିଙ୍ଗୁ କେବଳ ତରକାରୀକୁ ସ୍ବାଦିଷ୍ଟ କରିନଥାଏ, ବରଂ ନପୁଂଶକତାରୁ ଆରମ୍ଭକରି ରକ୍ତଚାପ ପର୍ଯ୍ୟନ୍ତ ବହୁ ରୋଗ ଦୂର କରିଥାଏ।

ଭାରତୀୟ ରୋଷେଇରେ ହିଙ୍ଗୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବ୍ୟଞ୍ଜନର ସ୍ବାଦ ଏବଂ ସୁଗନ୍ଧ ପାଇଁ ମୁଖ୍ୟତଃ ହିଙ୍ଗୁ ବ୍ୟବହାର କରାଯାଇଥାଏ। କିନ୍ତୁ ହିଙ୍ଗୁର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି ଏକଥା ଜାଣିବା ଦରକାର।

ଥଣ୍ଡା, ଛିଙ୍କ, କାଶ ପାଇଁ ହିଙ୍ଗୁ ଅତ୍ୟନ୍ତ ଉପାଦେୟ ବୋଲି ଆର୍ୟୁବେଦ ଶାସ୍ତ୍ରରେ ରହିଛି। ଏହା ବ୍ୟତୀତ ମଧ୍ୟ ବହୁ ରୋଗର ଉପଶମ ପାଇଁ ହିଙ୍ଗୁ ବ୍ୟବହାର କରାଯାଇପାରେ।

ତେବେ ହିଙ୍ଗୁ କ’ଣ, କେମିତି ତିଆରି ହୁଏ ଏବଂ କେଉଁଠୁ ଆସେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ହିଙ୍ଗୁ ଯେଉଁ ଗଛର କ୍ଷୀରରୁ ପ୍ରସ୍ତୁତ ହୁଏ ସେହି ଗଛଟି କ୍ଷୀର ଦେବା ଯୋଗ୍ୟ ହେବାକୁ ୫ବର୍ଷ ସମୟ ଲାଗିଥାଏ। ଗୋଟିଏ ହିଙ୍ଗୁ ଗଛରୁ ଅଧ ରୁ ଏକ କିଲୋ ପର୍ଯ୍ୟନ୍ତ କ୍ଷୀର ମିଳିଥାଏ। ଗୁଣାତ୍ମକ ଦୃଷ୍ଟିକୋଣରୁ ଗୋଟିଏ କିଲୋ ହିଙ୍ଗୁ ୧୧ହଜାର ଟଙ୍କାରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଆମ ଦେଶରେ ପ୍ରତ୍ୟକ ବର୍ଷ ୮,୮୦୦କୋଟି ଟଙ୍କାର ହିଙ୍ଗୁ ବିକ୍ରୀ ହୋଇଥାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ହିଙ୍ଗୁ ବ୍ୟବହାର ସର୍ବାଧିକ ହୋଇଥାଏ। କିନ୍ତୁ ଭାରତରେ ଗୋଟିଏ ଗ୍ରାମ ହିଙ୍ଗୁ ଉତ୍ପାଦନ ହୋଇନଥାଏ। ହିଙ୍ଗୁ ମୁଖ୍ୟତଃ ଆଫଗାନିସ୍ତାନ, ଇରାନ ଆଦି ବିଭିନ୍ନ ମୁସଲିମ ଦେଶରୁ ଭାରତକୁ ଆସିଥାଏ। ତେବେ ଆସନ୍ତୁ ହିଙ୍ଗୁର ଅନ୍ୟଗୁଣଗୁଡ଼ିକ ଉପରେ ପକାଇବା ନଜର।

ମୁଣ୍ଡବିନ୍ଧା :

ଥଣ୍ଡା, କାଶ, ଛିଙ୍କ, ମାଇଗ୍ରେନ୍ କାରଣରୁ ମୁଣ୍ଡବିନ୍ଧା ହେଉଥିଲେ ହିଙ୍ଗୁ ବ୍ୟବହାର ଦ୍ବାରା ଯଥେଷ୍ଟ ଉପଶମ ମିଳିଥାଏ। ଗୋଟିଏ ଚିମୁଟା ହିଙ୍ଗୁ ଦେଢ଼ କପ୍ ପାଣିରେ ପକାଇ ସିଝାଇବ। ଦେଢ଼ କପ୍ ପାଣି ସିଝି ସିଝି ଯେତେବେଳେ ଗୋଟିଏ କପ୍ ହୋଇଯିବ ସେ ପାଣିକୁ ସାମାନ୍ୟ ଥଣ୍ଡା କରି ପିଇଲେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ।

ଦାନ୍ତବିନ୍ଧା :

ହିଙ୍ଗୁରେ ବହୁ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ସଂକ୍ରମଣ ଏବଂ ବିନ୍ଧାଝିଟିକା ଦୂର କରିବାରେ ସହାୟକ ହୋଇଥାଏ। ଆପଣଙ୍କ ଦାନ୍ତ ବା ଦାନ୍ତମୂଳ ସଂକ୍ରମିତ ହୋଇ ଯଦି ବିନ୍ଧୁଥାଏ ଓ ମାଢ଼ିରୁ ରକ୍ତ ବାହାରୁଥାଏ ତାହେଲେ ହିଙ୍ଗୁ ଏକ ଅମୋଘ ଔଷଧ। ଦାନ୍ତର ଯେଉଁ ଯାଗାରେ ବିନ୍ଧା ହେଉଛି ବା ରକ୍ତ ବାହାରୁଛି ସେ ସ୍ଥାନରେ ଅଳ୍ପଟିକିଏ ହିଙ୍ଗୁ ୫ମିନିଟ୍ ପର୍ଯ୍ୟନ୍ତ ଦବାଇ ରଖିଲେ ବିନ୍ଧା କମିବା ସହ ସଂକ୍ରମଣ ମଧ୍ୟ ଦୂର ହୋଇଯାଏ। ଅଳ୍ପ ପରିମାଣ ହିଙ୍ଗୁକୁ ପାଣିରେ ପକାଇ ସିଝାଇ ସାରିବା ପରେ ସେହିପାଣିକୁ ନଖ ଉଷୁମ ଅବସ୍ଥାରେ କୁଳିକଲେ ସଂକ୍ରମଣରୁ ରକ୍ଷା ମିଳିଥାଏ।

ପେଟ ସମସ୍ୟା :

ସବୁ ପ୍ରକାର ପେଟ ସମସ୍ୟା ପାଇଁ ହିଙ୍ଗୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପ୍ରାଚୀନ କାଳରୁ ପେଟ ସମସ୍ୟାର ମୁଖ୍ୟ ଔଷଧ ବୋଲି ହିଙ୍ଗୁକୁ ହିଁ ବିବେଚନା କରାଯାଇ ଆସିଛି। ବଦହଜମି, ଗ୍ୟାସ୍ ଏବଂ କୃମିଦୋଷ ପାଇଁ ହିଙ୍ଗୁ ଉପାଦେୟ ହୋଇଥାଏ।

କାନବିନ୍ଧା :

କାନବିନ୍ଧା ପାଇଁ ମଧ୍ୟ ହିଙ୍ଗୁ ଭଲ କାମ କରିଥାଏ। ହିଙ୍ଗୁରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଇନଫ୍ଲାମେସନ୍ ଗୁଣ ରହିଛି। ଗୋଟିଏ ଚାମଚ ବା ଦୁଇ ଚାମଚ ନଡ଼ିଆ ତେଲରେ ଗୋଟିଏ ଚୁଟକି ହିଙ୍ଗୁ ପକାଇ ତେଲକୁ ଗରମ କରିବ।ତେଲ ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ କାନ ମଧ୍ୟରେ ପକାଇଲେ ତୁରନ୍ତ ଉପଶମ ମିଳିଥାଏ।

ମହିଳାଙ୍କ ସମସ୍ୟା :

ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସମସ୍ତ ସମସ୍ୟା ହିଙ୍ଗୁଦ୍ବାରା ଦୂର ହୋଇଥାଏ। ସେହିଭଳି ମହିଳାଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଲ୍ୟୁକୋରିଆ ଏବଂ କେଣ୍ଡଡ଼ା ଇନଫେକସନ୍ କ୍ଷେତ୍ରରେ ମଧ୍ୟ ହିଙ୍ଗୁ ବେଶ୍ ଭଲ କାମ କରିଥାଏ।

ଚର୍ମରୋଗ :

ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ପାଇଁ ହିଙ୍ଗୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପାଣିରେ ହିଙ୍ଗୁକୁ ଗୋଳି ଏହି ପାଣିକୁ ଦେହରେ ଲଗାଇଲେ ଯାଦୁ, କାଛୁ, କୁଣ୍ଡିଆ ଭଳି ଚର୍ମରୋଗ ଦୂର ହୋଇଥାଏ।

ନପୁଂଶକତା :

ହିଙ୍ଗୁ ଖାଇବା ଦ୍ବାରା ପୁରୁଷଙ୍କ ସମସ୍ତ ପ୍ରକାର ଯୈାନରୋଗ ଦୂର ହୋଇଥାଏ। ପ୍ରତ୍ୟହ ଖାଦ୍ୟରେ ହିଙ୍ଗୁ ବ୍ୟବହାର କଲେ ନପୁଂଶକତା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

କାଶ :

ଯେକୈାଣସି ପ୍ରକାର କାଶରୁ ହିଙ୍ଗୁ ମୁକ୍ତି ଦେଇଥାଏ। ମହୁ, ଅଦାରସ ଏବଂ ହିଙ୍ଗୁ ମିଶାଇ ସେବନ କଲେ କାଶରୁ ରକ୍ଷା ମିଳିଥାଏ।

ହିଙ୍ଗୁ ଅତ୍ୟନ୍ତ ଉତ୍ତେଜକ ପଦାର୍ଥ। ତେଣୁ ଏହା ଅଧିକ ଖାଇବା ଉଚିତ୍ ନୁହେଁ। ତେବେ ପ୍ରତ୍ୟହ ଅଳ୍ପମାତ୍ରାରେ ହିଙ୍ଗୁ ଖାଇବା ଦ୍ବାରା ଲାଭ ମିଳିଥାଏ।

Leave a Comment