ଅନ୍ୟ ଋତୁ ଅପେକ୍ଷା ଖରାଦିନେ ଫଳର ଚାହିଦା ଅଧିକ। ପ୍ରବଳ ଗରମ ଯୋଗୁଁ ଦିନର ଅଧିକାଂଶ ସମୟରେ ଶରୀର ତାପମାତ୍ରା ଅଧିକ ରହୁଥିବାରୁ ଡାକ୍ତର ଅଧିକ ଫଳାହାର କରିବାକୁ ପରାମର୍ଶ ଦିଅନ୍ତି । କାରଣ ଅଧିକାଂଶ ଫଳରେ ଭିଟାମିନ୍ ଏ, ବି, ସି ଏବଂ ଭିଟାମିନ୍ କେ ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
ସ୍ୱାଦିଷ୍ଟ ଅମୃତଭଣ୍ଡାରେ ପ୍ରଚୁର ଭିଟାମିନ ରହିବା ସହ ମସ୍ତିଷ୍କ କୁ ଶୀତଳ ରଖୁଥିବାରୁ ଖରାଦିନେ ଏହାର ଚାହିଦା ଯଥେଷ୍ଟ ବଢ଼ିଯାଇଥାଏ । ବର୍ଷର ପ୍ରାୟ ସବୁ ସମୟରେ ମିଳୁଥିବା ଅମୃତଭଣ୍ଡା ଏକ ଏପରି ଫଳ ଯାହା ଭିଟାମିନରେ ଭରପୁର ହେବାସହ ସବୁ ସ୍ଥାନରେ ସହଜରେ ମିଳିଥାଏ ।
ଭାରତର ପ୍ରାୟ ସବୁ ରାଜ୍ୟରେ ସବୁ ପ୍ରକାର ମାଟିରେ ଅମୃତଭଣ୍ଡା ହୋଇଥାଏ । ଭିଟାମିନରେ ଭରପୁର ଅମୃତଭଣ୍ଡା ତ୍ବଚାର ସୁନ୍ଦରତାକୁ ବଢାଇଥାଏ । ଏହାର ପତ୍ର, ମଞ୍ଜିରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଛି । ଅମୃତଭଣ୍ଡା ହଜମରେ ସାହାଯ୍ୟ କରିବା ସହ କୋଲେଷ୍ଟ୍ରଲ ହ୍ରାସ କରିଥାଏ ।
ଅମୃତଭଣ୍ଡା ଖାଇବାର ଲାଭ।
ପେଟ ରୋଗ ଦୂର କରେ :
ପାଚିଲା ଅମୃତଭଣ୍ଡାରେ ପେପେନ୍ ନାମକ ଉପାଦାନ ରହିଥାବାରୁ ଏହା ଶରୀରରେ ପ୍ରୋଟିନ୍ ନିୟନ୍ତ୍ରଣ କରିବା ସହ ହଜମରେ ସାହାଯ୍ୟ କରିଥାଏ। ଏହା ସହିତ ଏହି ଫଳ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ । ପେଟ ରୋଗ ଭୋଗୁଥିବା ରୋଗୀ ପ୍ରତିଦିନ ଡାଏଟରେ ଅମୃତଭଣ୍ଡା ସାମିଲ କରିବା ଲାଭଦାୟକ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ :
ଅମୃତଭଣ୍ଡାରେ ଖୁବ କମ ପରିମାଣରେ କ୍ୟାଲୋରୀ ଥିବାବେଳେ ଏଥିରେ ପ୍ରଚୁର ଫାଇବର ଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ । ଏହା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
କୋଲେଷ୍ଟ୍ରଲ ହ୍ରାସ କରେ :
ଅମୃତଭଣ୍ଡାରେ ଫାଇବର, ଭିଟାମିନ୍ ସି ସହିତ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଅତ୍ୟଧିକ କୋଲେଷ୍ଟ୍ରଲ ରହିବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ଅନେକ ସମସ୍ୟା ହୋଇପାରେ। ତେଣୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ଅମୃତଭଣ୍ଡା ଔଷଧ ପରି କାର୍ଯ୍ୟ କରିଥାଏ ।
କେଉଁମାନେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ।
ଫଳ ମଧ୍ୟରେ ଅମୃତ ହୋଇଥିଲେ ବି କିଛି ନିର୍ଦ୍ଦିଷ୍ଟ ରୋଗ ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଅମୃତଭଣ୍ଡାରେ ପପାଇନ, ଚିମୋପାପିନ, କାରିକାଇନ ପରି ଆଲର୍ଜିତ ପ୍ରୋଟିନ ରହିଥିବାରୁ ଗର୍ଭବତୀ, ଆଲର୍ଜି ରୋଗ ଥିବା ବ୍ୟକ୍ତିବିଶେଷ ଏହା ଖାଇବା ଉଚିତ ନୁହେଁ । ଏହା ସହିତ ହୃଦରୋଗୀ ମଧ୍ୟ ଅମୃତଭଣ୍ଡା ନଖାଇବାକୁ ସ୍ୱାସ୍ଥ୍ୟବିଶେଷଜ୍ଞ ପରାମର୍ଶ ଦିଅନ୍ତି । କାରଣ ଏହି ଫଳ ହୃଦ ସ୍ପନ୍ଦନ ଗତିକୁ ମନ୍ଥର କରିଦେଇଥାଏ ।